Headlines Odisha Tv

An Odia News Portal

ଧରା ପଡ଼ିଲା ଭାଲୁ

ହେଡ଼ଲାଇନ୍ସ ଓଡିଶା (ମିନତୀ ସାନ) : ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା। ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ ଭାଲୁଟି ପୁଣି ସହର ମଧ୍ୟକୁ ଆସିଥିଲା। ଭାଲୁଟିକୁ ପ୍ରଥମେ ତେଲିପଡ଼ା ଦୁର୍ଗାମଣ୍ଡପ ପାଖରେ ଠାବ କରାଯାଇଥିଲା। ଏହା ପରେ ଭାଲୁଟି ନୂଆପଡ଼ା ଥାନା ପରିସରରେ ପଶିଥିଲା। ସେଠାରୁ ଭାଲୁ ବାହାରି ସହର ସାରା ବୁଲିବା ପରେ ରାତି ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶିଥିଲା। ସେଠାରେ ବନ ବିଭାଗ ପକ୍ଷରୁ ଯନ୍ତା ବସା ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଭାଲୁଟି ସେଠାରେ ଯନ୍ତାରେ ପଡ଼ିଥିଲା। ଭାଲୁଟିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ତାକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।