ତେଲକୋଇ ୧୮।୦୪: ଯାତ୍ରା ଦେଖିବାକୁ ଆସିଥିଲେ ଦୁଇ ନାବାଳିକା । ଦୁଷ୍କର୍ମ ଉଦ୍ଦେଶ୍ୟରେ ଅପହରଣ କରି ନେଉଥିବା ବେଳେ ଧରିଲେ ଗ୍ରାମବାସୀ । ଦୁଇ ନାବାଳିକାଙ୍କୁ ଉଦ୍ଧାର ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅନ୍ୟ ତିନି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଖବର ଅନୁଯାୟୀ, ରବିବାର ଭିମକାଣ୍ଡ ଗାଁରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅପେରା ପରିବେଷଣ ହେଉଥିଲା । ଅପେରା ଦେଖିବାକୁ କୁଇଲିସୂତା ଗାଁର ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ଆସିଥିଲେ। ବିଳମ୍ବିତ ରାତିରେ ପରିସ୍ରା ପାଇଁ ଦୁଇ ନାବାଳିକା ସହ ଜଣେ ପାଞ୍ଚ ବର୍ଷର ବାଳକ ବାହାରକୁ ଆସିଥିଲେ । ଠିକ୍ ଏହି ସମୟରେ ଆଗରୁ ଛପି ବସିଥିବା ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଉଠାଇ ନେଇଯାଇଥିଲେ। ସେହି ସମୟରେ ନାବାଳକ ଜଣଙ୍କ ଅପେରା ଦେଖିବାକୁ ଆସିଥିବା ଗାଁର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିଥିଲେ । ଖବର ପାଇ କୁଇଲିସୂତା ଓ ଭିମକାଣ୍ଡ ଗାଁର କିଛି ଯୁବକ ଅଭିଯୁକ୍ତଙ୍କୁ ଘେରିଯାଇ ଦୁଇ ନାବାଳିକାକୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲେ । କିନ୍ତୁ ଅନ୍ୟ ତିନି ଅଭିଯୁକ୍ତ ରାତିର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଅଭିଯୁକ୍ତକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ