Headlines Odisha Tv

An Odia News Portal

‘ଦ କଶ୍ମୀର ଫାଇଲ୍ସ’କୁ ବିରୋଧ କରୁଥିବା ଲୋକଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୫/୦୩: ଦ କଶ୍ମୀର ଫାଇଲ୍ସ ସିନେମା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ଲୁଚାଯାଇଥିବା ସତ୍ୟ ସାମ୍ନାକୁ ଆସିଛି। ଏଥିରେ କିଛି ଲୋକେ ବିଚଳିତ ହୋଇ ଉଠିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୫-୬ ଦିନ ଧରି ଆମେ ଦେଖି ଆସୁଛୁ ସେମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ସମାଲୋଚନା କରୁଛନ୍ତି । ଏହା ଉପରେ କେହି ବି ଚର୍ଚ୍ଚା କରୁନାହାନ୍ତି, କିନ୍ତୁ ଏହାକୁ ବିରୋଧ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଫିଲ୍ମ ଉପରେ କାହାର ଆପତ୍ତି ଅଛି ତେବେ ଅନ୍ୟ ଗୋଟିଏ ନିର୍ମାଣ କରିନିଅନ୍ତୁ, କିନ୍ତୁ ଏହାକୁ ଅଟାକାଇବାର ପ୍ରୟାସ କରିବା କେଉଁ ବୁଦ୍ଧିମାନର କାମ। ବିଜେପି ସାଂସଦଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେଉଁ ବ୍ୟକ୍ତି ସର୍ବଦା ଅଭିବ୍ୟକ୍ତିର ସ୍ୱାଧୀନତା କଥା କହୁଥିଲେ, ସେମାନେ ଗତ 5ରୁ 6 ଦିନ ଭିତରେ ବିଚଳିତ ହୋଇ ଉଠିଛନ୍ତି। ଏହି ଫିଲ୍ମକୁ ତଥ୍ୟ ଆଧାରରେ ବେବିଚନା କରିବା ପରିବର୍ତ୍ତେ ଏହାକୁ ବଦନାମ କରିବାରେ ଲାଗିଛନ୍ତି। ଏହି ଫିଲ୍ମ ବିରୋଧରେ ପୁରା ଏକ ଇକୋ ସିଷ୍ଟମ ଠିଆ ହୋଇଛି। ମୋର ବିଷୟ ଫିଲ୍ମ ନୁହେଁ, କିନ୍ତୁ ଯାହା ସତ୍ୟ, ତାକୁ ସାମ୍ନାକୁ ଆଣିବା ଦେଶ ପାଇଁ ଜରୁରୀ। ଯାହାର ଆପତ୍ତି ସେ ଅନ୍ୟ ଏକ ସିନେମା ନିର୍ମାଣ କରନ୍ତୁ। ସେମାନଙ୍କ ଆପତ୍ତି ଏହା ଯେ, ଯେଉଁ ସତ ଦୀର୍ଘ ବର୍ଷ ଧରି ଲୁଚାଇ ରଖିଥିଲେ ତାହା କିପରି ସାମ୍ନାକୁ ଅଣାଯାଉଛି । ବର୍ତ୍ତମାନ ସମୟରେ ସତ ସହ ଠିଆ ହୋଇଥିବା ଲୋକଙ୍କ ଦାୟିତ୍ୱ ହେଉଛି ସେମାନେ ଏହି ଇକୋସିଷ୍ଟମକୁ ଭାଙ୍ଗନ୍ତୁ ।