ପଟ୍ଟାମୁଣ୍ଡାଇ : ଧାନକଟା ମେସିନ ଚଢ଼ିଯିବାରୁ ଏକ ୮ ବର୍ଷର ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଂଟା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବାଳକ ଜଣଙ୍କ ହେଲେ ଖଡିଅଂଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ। ଗତକାଲି ଖଡିଅଂଟା ଗାଁ ନିକଟରେ ଥିବା ଭେଡ଼ାରେ ଧାନକଟା ମେସିନ ଦ୍ୱାରା ଧାନ ଅମଳ ହେଉଥିଲା। ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିଲେ। ତାଙ୍କୁ ଶୋଷ ହେବାରୁ ସେ ପିଇବା ପାଣି ଆଣିବା ପାଇଁ ଘରକୁ ଖବର ଦେଇଥିଲେ। ତାଙ୍କ ପତ୍ନୀ ପୁଅ ଶିବୁଙ୍କ ହାତରେ ପିଇବା ପାଣି ପଠାଇଥିଲେ। ଶିବୁ ପାଣି ନେଇ ବାପାଙ୍କ ନିକଟକୁ ଆସୁଥିବା ବେଳେ ପାଖ ବିଲରେ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଥିବା ଧାନକଟା ମେସିନଟି ଶିବୁଙ୍କୁ ଜୋରରେ ଧକ୍କା ଦେଇଥିଲା। ପରେ ମେସିନଟି ତାଙ୍କ ଉପରେ ମାଡି ଯାଇଥିଲା। ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ନିମିଷକ ମଧ୍ୟରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶିବୁଙ୍କୁ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନା ଯିବା ବାଟରେ ଶିବୁଙ୍କର ମୃତ୍ୟୁ ଘଟିଥିଲା। ପୁଅକୁ ହରାଇ ବାପାମା’ ଭାଙ୍ଗି ପଡ଼ିଛନ୍ତି। ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଧାନକଟା ମେସିନ ଚାଳକ ଫେରାର ହୋଇଯାଇଛି।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ