Headlines Odisha Tv

An Odia News Portal

ରୋହିତଙ୍କ ଭାରତୀୟ କୀର୍ତ୍ତିମାନ: ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦ ଛକା ମାରିବାରେ ପ୍ରଥମ ବ୍ୟାଟର୍‌

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମା ବୁଧବାର ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆ ଅବସରରେ ଏକ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦ ଛକା ମାରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟର୍‌ ହୋଇଛନ୍ତି। ବୁଧବାର ମ୍ୟାଚ୍‌ରେ ଭାରତ ୫ ରନ୍‌ରେ ପରାସ୍ତ ହୋଇଥିଲା ବେଳେ ରୋହିତ ଆହତ ସତ୍ତ୍ବେ ନିମ୍ନକ୍ରମରେ ବ୍ୟାଟିଂ କରିଥିଲେ। ସେ ୨୮ ବଲ୍‌ରୁ ଅପରାଜିତ ୫୧ ରନ୍‌ କରିଥିଲେ। ଏହି ପାଳିରେ ୩ ଚୌକା ଓ ୫ ଛକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୮୨.୧୪ ଥିଲା। ଏହି ୫ ଛକା ସହିତ ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କ ମୋଟ ସଂଖ୍ୟାକୁ ୫୦୨ରେ ପହଞ୍ଚାଇଥିଲେ। ଏକ୍ଷେତ୍ରରେ ରୋହିତ ପ୍ରଥମ ଭାରତୀୟ ହୋଇଥିଲା ବେଳେ ବିଶ୍ବରେ ଦ୍ବିତୀୟ ବ୍ୟାଟର୍‌ ରହିଛନ୍ତି। କେବଳ ୱେଷ୍ଟ୍‌ଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟର୍‌ କ୍ରିସ୍‌ ଗେଲ୍‌ (୫୫୩ ଛକା, ୪୮୩ ମ୍ୟାଚ୍‌) ରୋହିତଙ୍କଠୁ ଅଧିକ ଛକା ମାରିଛନ୍ତି। ଗେଲ୍‌ ଏବଂ ରୋହିତଙ୍କ ପଛକୁ ୫୦୦ ଆନ୍ତର୍ଜାତିକ ଛକା ମାରିବାରେ ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି (୪୭୬), ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌ଲମ (୩୯୮) ଏବଂ ନ୍ୟୁଜିଲାଣ୍ଡ୍‌ ଓପ୍‌ନର ମାର୍ଟିନ୍‌ ଗପ୍ଟିଲ (୩୮୩) ଯଥାକ୍ରମେ ତୃତୀୟରୁ ପଞ୍ଚମରେ ରହିଛନ୍ତି। ରୋହିତ ୪୨୮ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୪୧ ଶତକ (ଟେଷ୍ଟ୍‌-୮, ଦିନିକିଆ-୨୯, ୪ ଟ୍ବେଣ୍ଟି-୨୦) ସହାୟତାରେ ମୋଟ ୧୬,୪୪୪ ରନ୍‌ କରିସାରିଲେଣି।