Headlines Odisha Tv

An Odia News Portal

ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍‌ ଚୋରି, ସେଥିରେ ଥିଲା ହୀରାର ହାର ସହ ନଗଦ ଟଙ୍କା

ଭୁବନେଶ୍ୱର ୨୨। ୧୧: ଦିନକୁ ଦିନ ବଢ଼ୁଥିବା ଚୋରି, ଲୁଟ୍‌, ଛିନ୍‌ତାଇ କମିଶନରେଟ୍‌ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ନିଛାଟିଆ ରାସ୍ତାଘାଟ କି ଲୋକଙ୍କ ଘର ନୁହେଁ, ସହରର ବଡ଼ ତାରକା ହୋଟେଲ ମଧ୍ୟ ଅସୁରକ୍ଷିତ ପାଲଟିଲାଣି । ଯାହାକି, ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏକ ବିବାହ ଉତ୍ସବକୁ ଯାଇଥିବା ସଂସଦର ଜଣେ ଅତିରିକ୍ତ ସଚିବ ଚୋରିର ଶିକାର ହୋଇଛନ୍ତି । ସେ ହେଉଛନ୍ତି, ଅନୀତା ଭଟ୍ଟ ପଣ୍ଡା । ଏନେଇ ଅନୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ରବିବାର ସନ୍ଧ୍ୟାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଥିବା ଏକ ତାରକା ହୋଟେଲରେ ଅନୀତାଙ୍କ ଭାଣିଜୀଙ୍କ ବିବାହ ଉତ୍ସବ ଥିଲା। ଅନୀତା ଉକ୍ତ ଉତ୍ସବକୁ ଯାଇଥିଲେ । ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବା ପାଇଁ ତାଙ୍କ ଭ୍ୟାନିଟ୍‌ ବ୍ୟାଗକୁ ମଣ୍ଡପ କଡ଼ରେ ରଖି ଦେଇଥିଲେ । କିଛି ସମୟ ପରେ ଅନୀତା ମଣ୍ଡପରୁ ଫେରିକି ଦେଖନ୍ତି ତ, ରଖିଥିବା ସ୍ଥଳରୁ ତାଙ୍କ ଭ୍ୟାନିଟ୍‌ ଗାଏବ୍‌ । ଏହା ଦେଖି ଅନୀତାଙ୍କ ମୁଣ୍ଡ ଚକ୍କର କାଟିଥିଲା । ସେ ହୋଟେଲରେ ଆୟୋଜିତ କନଭେନସନ ହଲର ଚାରିଆଡେ ଖୋଜିଥିଲେ । ସୁରକ୍ଷାକର୍ମୀଙ୍କ ଜରିଆରେ ସିସି କ୍ୟାମେରା ମଧ୍ୟ ଯାଞ୍ଚ ହେଲା । କିନ୍ତୁ ତାଙ୍କ ଭ୍ୟାନିଟ୍‌ କେଉଁଠି ମିଳିଲାନି ।