Headlines Odisha Tv

An Odia News Portal

ମୋଦୀଙ୍କୁ ଭେଟିବେ ବୋରିସ ଜନସନ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଦୁଇ ନେତା

ନୂଆଦିଲ୍ଲୀ ୨୨/୦୪: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଶୁକ୍ରବାର ଦ୍ବିତୀୟ ଦିନ । ଗୁରୁବାରଠୁ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ ସନ୍ । ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯିବ। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ରୁଷ-ୟୁକ୍ରେନ ସ୍ଥିତି , ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ମିଲିଟାରୀ ହାର୍ଡୱେୟାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ ଜନସନ୍ । ଭାରତ ସହ ୧ ବିଲିୟନ୍ ଡଲାର ଡିଲ୍ ହେବାର ସୂଚନା ମିଳିଛି । ଗୁରୁବାର ଭାରତରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁଜୁରାଟ ଅହମ୍ମଦାବାଦ ବିମାନ ବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ ରୋଡ ସୋ କରାଯାଇଥିଲା। ସେଠାରୁ ସେ ମହାତ୍ମାଗାନ୍ଧିଙ୍କ ସାବରମତୀ ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସାବରମତୀ ଆଶ୍ରମରେ ଅରଟ ବଲାଇ ସୁତା କାଟିଥିଲେ । ବୋରିସ ଜନସନ୍ ଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ଏହାସହ ଅହମ୍ମଦାବାଦରେ ନିବେଶକଙ୍କ ସହିତ ବୈଠକ କରିଛନ୍ତି ବୋରିସ୍ ଜନସନ । ଗାନ୍ଧିନଗର ସ୍ଥିତ ଗୁଜୁରାଟ ବାୟୋଟେକ୍ନୋଲୋଜି ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜନସନ ।