Headlines Odisha Tv

An Odia News Portal

ଡ୍ର ହେବ କି ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ବାରବାଡୋସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ଡ୍ର ଆଡ଼କୁ ଗତି କରୁଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ନିଜର ପ୍ରଥମ ପାଳିରେ ୫୦୭ ରନ୍ କରି ମ୍ୟାଚ୍ ଘୋଷଣା କରିଥିଲା। ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ମଧ୍ୟ ପଡ଼ିଆରେ ଦମ୍ ଦେଖାଇଥିଲା। କ୍ୟାପ୍ଟେନ୍ କ୍ରେଗ ବ୍ରେଥୱେଟ ମାରାଥନ ପାଳି ଦମ୍‌ରେ ଦଳ ୪୧୧ ରନ୍ କରିଥିଲା। ଚତୁର୍ଥ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡ ବିନା ୱିକେଟ୍ ହରାଇ ୪୦ ରନ୍ କରିବା ସହିତ ୱେଷ୍ଟ ଇଣ୍ଡିଜ୍‌ ଠାରୁ ୧୩୬ ରନ୍‌ରେ ଆଗୁଆ ରହିଛି। ଦଳ ପକ୍ଷରୁ ଜ୍ୟାକ୍ କ୍ରୋଲି(୨୧) ଓ ଏଲେକ୍ସ ଲିସ୍(୧୮) ରନ୍ କରି ଅପରାଜିତ ରହିଛନ୍ତି।  ଅନ୍ୟପଟେ ଚତୁର୍ଥଦିନ ୨୮୮ ରନ୍‌ରୁ ଖେଳ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ୍। କ୍ୟାପ୍ଟେନ୍ ବ୍ରେଥୱେଟ ୩୩୭ ବଲ ଖେଳି ୧୨ ଚୋକା ସାହାଯ୍ୟରେ ସେ ୧୦୯ ରନ୍ କରି ବ୍ୟାଟିଂ ଜାରି ରଖିଥିଲେ। ଚତୁର୍ଥଦିନରେ ବ୍ରେଥୱେଟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହିତ ମିଶି ଦଳ ପାଇଁ ରନ୍ ଯୋଡ଼ିଥିଲେ। ଏହାପରେ ଇଂଲଣ୍ଡ ବୋଲର ଜ୍ୟାକ୍‌ ଲିଚ୍ ତାଙ୍କୁ ଆଉଟ୍ କରିଦେଇଥିଲେ। ୧୬୦ ରନ୍‌ର ମାରାଥନ ପାଳିରେ ବ୍ରେଥୱେଟ୍ ୪୮୯ ବଲ୍ ଖେଳିବା ସହିତ ପାଖାପାଖି ୭୧୦ ମିନିଟ୍ ଧରି ବ୍ୟାଟିଂ କରିଥିଲେ।