Headlines Odisha Tv

An Odia News Portal

ଜମ୍ମୁ: ଲଗାତାର ୨ୟ ଦିନ ସାମ୍ବାର ସେନା ଶିବିର ନିକଟରେ ୪ ସନ୍ଦିଗ୍ଧ ଡ୍ରୋନ ଦୃଶ୍ୟମାନ

ଶ୍ରୀନଗର, ଅଗଷ୍ଟ ୦୨ : ପାକିସ୍ତାନ ନିରଜ ଖରାପ ପ୍ରକୃତିରୁ ଓହରିପାରୁ ନାହିଁ । ଅନୁପ୍ରବେଶରେ ବିଫଳ ହେବା ପରେ ଜମ୍ମୁ କଶ୍ମୀରରେ ଗତ କିଛି ମାସ ହେବ ଡ୍ରୋନ ଗତିବିଧି ଦେଖାଯାଉଛି । ଜମ୍ମୁର ସାମ୍ବାରେ ରବିବାର ୪ ସନ୍ଦିଗ୍ଧ ଡ୍ରୋନ ଦୃଶ୍ୟମାନ ହୋଇଛି । ଏହି ଡ୍ରୋନ କଡ଼ା ସୁରକ୍ଷା ଭିତରେ ଥିବା ସେନା ଶିବିର ନିକଟରେ ଦେଖାଯାଇଛି । ସାମ୍ବାରେ ଲଗାତାର ୨ୟ ଦିନ ଡ୍ରୋନ ଗତିବିଧି ଦେଖାଯାଇଛି । ଏହା ପୂର୍ବରୁ ଶନିବାର ମଧ୍ୟ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକେ ଡ୍ରୋନ ଉଡୁଥିବାର ଦେଖିଥିଲେ ।  ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପୋଲିସ ଯବାନ ରବିବାର ବଡ଼ ବ୍ରହମନାର ବୀରପୁର, ବିସ୍ନାହରୋଡରେ ୧୫୭ଟିଏ ଶିବିର ନିକଟ, ଶିଳ୍ପାଂଚଳ ଏବଂ ପେଟ୍ରୋଲ ପମ୍ପ ନିକଟରେ ଡ୍ରୋନ ଉଡୁଥିବା ଦେଖିଥିଲେ । ଯବାନମାନେ ଡ୍ରୋନକୁ ଖସାଇବା ପାଇଁ ଗୁଳି କରିଥିଲେ । କିନ୍ତୁ ଏହି ଡ୍ରୋନ ରେଂଜ ବାହାରେ ଉଡୁଥିଲା ।  କୁହାଯାଉଛି ଯେ, ରାତି ପ୍ରାୟ ସାଢ଼େ ୯ଟାରେ ଡ୍ରୋନ ଦେଖାଯାଇଥିଲା । ଏହା ପାଖାପାଖି ୫୦୦ ମିଟର ଉଚ୍ଚରେ ଉଡୁଥିଲା । ଡ୍ରୋନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ୨ରୁ ୩ ମିନିଟ ଉଡିବା ପରେ ଡ୍ରୋନ ଉଭାନ ହୋଇଯାଇଥିଲା ।