Headlines Odisha Tv

An Odia News Portal

ଜମ୍ମୁ-କାଶ୍ମୀର : ଟାର୍ଗେଟ୍ କିଲିଂ ଭୟ, ଜିଲ୍ଲା ମୁଖ୍ୟାଳୟକୁ ବଦଳି ହେଲେ ୧୭୭ ଶିକ୍ଷକ

ନୂଆଦିଲ୍ଲୀ ୦୪/୦୬:  ଟାର୍ଗେଟ୍ କିଲିଂ ଭୟ ।  ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଭିତରେ ସ୍ଥାନୀୟ ପ୍ରଶାସନର ବଡ ପଦକ୍ଷେପ । ପ୍ରଶାସନ ପକ୍ଷରୁ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମୁତୟନ ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି। ଶ୍ରୀନଗର ସ୍ଥିତ ଚିଫ୍ ଏଜୁକେସନ୍ ଅଫିସରଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଏନେଇ କୁହାଯାଇଛି । ତେବେ ଘାଟିରୁ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଛି। କାରଣ କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ଲୋକଙ୍କ ଭିତରେ ଖୁବ୍ ଆକ୍ରୋଶ ରହିଛି। ଗୁରୁବାର ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ରାଜସ୍ଥାନର ଜଣେ ଯୁବକକୁ ଗୁଳି କରି ହତ୍ୟା କରିଥିଲେ। ସେଭଳି ତା ପୂର୍ବରୁ କୁଲଗାମ ଜିଲ୍ଲାର ଏକ ସ୍କୁଲରେ ଆତଙ୍କବାଦୀମାନେ ଶିକ୍ଷୟତ୍ରୀ ରଜନୀ ବାଳାଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀ ଭୟ ଓ ବଦଳି ଦାବିରେ ଜମ୍ମୁ ସହରରେ ଶତାଧିକ ସରକାରୀ କର୍ମଚାରୀଙ୍କ ଶୋଭାଯାତ୍ରା ବାହାରିଥିଲା। ସେମାନେ ସରକାରଙ୍କୁ ସୁରକ୍ଷିତ ସ୍ଥିତି ପ୍ରଦାନ କରିବା ପାଇଁ ଅପିଲ କରିଥିଲେ। ଏହା ସହ ଯେଉଁ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି କଡା ପଦକ୍ଷେପ ନିଆଯାଇ ନାହିଁ, ସେମାନେ କାମ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ, ଗତ କିଛିଦିନ ହେଲା କାଶ୍ମୀରରେ ପଣ୍ଡିତ ଓ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରୁଛନ୍ତି । ଏହାକୁ ରୋକିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏଥିରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ ଏନ୍ଏସଏ ଅଜିତ ଡୋଭାଲ,ଜମ୍ମୁ-କଶ୍ମୀରର ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ ଦିଲବାଗ୍ ସିଂହ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ର ରିଜର୍ଭ ପୋଲିସ ବଳ ମହାନିର୍ଦେଶକ କୁଲଦୀପ ସିଂହ ଓ ସୀମା ସୁରକ୍ଷାବଳର ମୁଖ୍ୟ ପଙ୍କଜ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।