Headlines Odisha Tv

An Odia News Portal

ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଟୋକେଇରେ ବୁହାହେଲେ, ରାସ୍ତାରେ ପ୍ରସବ

ଚିତ୍ରକୋଣ୍ଡା: ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି। ଫଳରେ, ପରିବାର ଲୋକେ ତାଙ୍କୁ ଏକ ଟୋକେଇରେ ବସାଇ ୮କିମି ବୋହିଛନ୍ତି। ଖାଲି ସେତିକି ନୁହେଁ, ସେ ରାସ୍ତାରେ ପ୍ରସବ କରିଥିବା ବେଳେ ଉଭୟ ମା’ ନବଜାତ ଶିଶୁଙ୍କୁ ସେହି ଟୋକେଇରେ ବସାଇ ଡାକ୍ତରଖାନା ନେଇଛନ୍ତି। ସ୍ବାସ୍ଥ୍ୟସେବାର ଏମିତି ବିକଳ ଚିତ୍ର ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ନାଏଡ଼ାଗୁଡାରେ ଦଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ଉପରୋକ୍ତ ଗାଁର ରାମଚନ୍ଦ୍ର ଶିଶାଙ୍କ ପତ୍ନୀ ଭାନୁ ଶିଶାଙ୍କ ପ୍ରସବଜନିତ ବେଦନା ଆରମ୍ଭ ହୋଇଥିଲା। ଖବର ପାଇ ଆଶାକର୍ମୀ ନୀଳିମା ଖିଲ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ, ଆମ୍ବୁଲାନ୍ସ ଆସିବାକୁ ମନା କରିଦେବାରୁ ବାଧ୍ୟହୋଇ ପରିବାର ଲୋକ ଭାନୁଙ୍କୁ ଗୋଟିଏ ଟୋକେଇରେ ବସାଇ ଭାର କରି ୮କିଲୋମିଟର ଦୂର ପାପୁଲୁର ସ୍ବାସ୍ଥ୍ୟ‌କେନ୍ଦ୍ରକୁ ନେଉଥିଲେ। ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଭାନୁ ରାସ୍ତାରେ ହିଁ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ପରିବାର ଲୋକ କହିଛନ୍ତି। ପ୍ରସବ ପରେ ଚିକିତ୍ସା ନିମନ୍ତେ ଭାନୁ ଓ ନବଜାତ ଶିଶୁକୁ ପୁଣି ଟୋକେଇରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ପାପୁଲୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ନର୍ସ କିମ୍ବା ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ପରିବାର ‌ଲୋକ ପୁଣି ଚିନ୍ତାରେ ପଡ଼ିଥିଲେ। ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେବାପାଇଁ ରାସ୍ତାରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହିସମୟରେ ‌ରୋଗୀ ଛାଡ଼ି ଫେରୁଥିବା ଅନ୍ୟ ଗୋଟିଏ ଆମ୍ବୁଲାନ୍ସରେ ଭାନୁଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ପ୍ରସୂତି ଓ ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।