Headlines Odisha Tv

An Odia News Portal

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ

କଟକ : ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ କଠୋର ଭାଷାରେ ପୁଲିସର ସମାଲୋଚନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଏହି ଘଟଣାରେ ପୁଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ। ପୁଲିସର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯିବା ଉଚିତ। ନାଗରିକଙ୍କୁ ସୁରକ୍ଷା ଦେବା ପୁଲିସର କାର୍ଯ୍ୟ। କିନ୍ତୁ ପୁଲିସର କାର୍ଯ୍ୟ ‌ଯଦି ଅପରାଧୀଙ୍କୁ ସୁହାଏ, ତେବେ ଆଇନ ଉପରେ ଲୋକଙ୍କ ବିଶ୍ବାସ ରହିବନି। ଏତଲା ପଞ୍ଜୀକରଣରେ ବିଳମ୍ବ ଘଟଣା ପୁଲିସ ବ୍ୟବସ୍ଥା ଭିତରେ ଆଳସ୍ୟ, ଜଡ଼ତା ଆଉ ନିଷ୍କ୍ରିୟତାକୁ ସୂଚାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ, ଇନ୍‌ଫୋସିଟି ଥାନା ଆଇଆଇସିଙ୍କ କାର୍ଯ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଏକ ବର୍ଷ ପାଇଁ କୌଣସି ଫିଲ୍ଡ ପୋଷ୍ଟିଂ (ଥାନା ଅଥବା ଲୋକଙ୍କ ସହ ଜଡ଼ିତ ସିଧାସଳଖ କାର୍ଯ୍ୟ) ନ ଦେବାକୁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀକୁ ସମ୍ବେଦନଶୀଳ ହେବାକୁ ତାଲିମ୍‌ ପାଇଁ ପଠାଇବାକୁ ପୁଲିସ କମିସନର ପଦକ୍ଷେପ ନିଅନ୍ତୁ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲା ତଦନ୍ତର ବ୍ୟକ୍ତିଗତ ଭାବେ ଡିସିପି ତଦାରଖ କରିବା ସହିତ ଚୂଡ଼ାନ୍ତ ରିପୋର୍ଟ ତିନିମାସ ଭିତରେ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।