Headlines Odisha Tv

An Odia News Portal

ଆଜି ବସିବ ରଥ ସମନ୍ବୟ କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ ୨୩।୦୫ : କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେବ ରଥଯାତ୍ରା ପାଇଁ ସମନ୍ବୟ କମିଟି ବୈଠକ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କରିଛନ୍ତି ନିଜ ନିଜର ପ୍ରସ୍ତୁତି କିଭଳି କରିଛନ୍ତି ତାହାର ସମୀକ୍ଷା ହେବ। ତେବେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ପ୍ରଥମ ଦଫାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିର ଭିତରେ ୨୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସିସିଟିଭି କ୍ୟାମେରା ଗୁଡିକରେ ପ୍ରୋଗ୍ରାମିଙ୍ଗ କରାଯିବ। ସେହିପରି ବିନା ଭକ୍ତରେ ଓ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ପାଇଁ ଦୁଇଟି ପ୍ଲାନ୍ ପ୍ରସ୍ତୁତ ହୋଇଛି। ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏଥି ପାଇଁ ରହିଥିବା ଚାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ, ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ।ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ବସିଥିଲା। ଏଥର କୋଭିଡ ସ୍ଥିତି ସ୍ବଭାବିକ ରହିଲେ ଦେଢ଼ ଗୁଣା ଅଧିକ ଅର୍ଥାତ୍ ୧୨ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲ୍ଲାର ସମସ୍ତ ବିଭାଗ ସମୀକ୍ଷା ବୈଠକରେ ଆକ୍ସନ ପ୍ଲାନ୍ ରିପୋର୍ଟ ପ୍ରଦାନ କରିଥିଲେ।