Headlines Odisha Tv

An Odia News Portal

ଆଜି ଅବପାତ, ଆସନ୍ତାକାଲି ବାତ୍ୟା

ଭୁବନେଶ୍ବର : ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବାବେଳେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି। ଧୀରେଧୀରେ ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତାକାଲି ଆଡ଼କୁ ଏକ ଅବପାତର ରୂପନେବ। ଏହା ଆହୁରି ଘନୀଭୂତ ହେବ ଓ ୮ ତାରିଖ ସଂଧ୍ୟା ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଏହା ପୁଣି ଉତ୍ତର-ପଶ୍ଚିମ ଆଡ଼କୁ ଗତି ଜାରି ରଖିବ ଏବଂ ୧୦ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ, ତାହା ଆକଳନ ହୋଇନି। ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ ଏନେଇ ଅଧିକ ସ୍ପଷ୍ଟତା ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ତେବେ ୧୦ ତାରିଖ ଦିନ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିମି ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ। କିନ୍ତୁ ବଡ଼ ଧରଣର ବର୍ଷା, ପବନର ସମ୍ଭାବନା କମ୍‌ ବୋଲି ଆଇଏମ୍‌ଡି କହିଛି।